ପାକିସ୍ତାନର F-16 ମାରି ଖସାଇଥିଲେ; ବାୟୁସେନାରୁ ଅବସର ନେଲେ ଲଢୁଆ ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନ

Spread the love
Advertisement

୨୦୧୯ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ସମୟରେ ପାକିସ୍ତାନର ଶକ୍ତିଶାଳୀ F-16 ଫାଇଟର ଜେଟକୁ ଖସାଇ ଦେଶପାଇଁ ଗୌରବ ଆଣିଥିବା ଭାରତୀୟ ବାୟୁସେନାର ପୂର୍ବତନ ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ ଭାରତୀୟ ବାୟୁ ସେନାରୁ ନେଇଛନ୍ତି ଅବସର। ଏବେ ସେ ବେସରକାରୀ ବିମାନ ସଂସ୍ଥାରେ ନିଜର ନୂଆ ଇନିଂସ ଆରମ୍ଭ କରିଛନ୍ତି। ବାୟୁସେନାରୁ ସମ୍ମାନର ସହ ଅବସର ନେବା ପରେ ସେ ଏକ ଘରୋଇ ଏୟାରଲାଇନ୍ସରେ କମର୍ସିଆଲ୍ ପାଇଲଟ୍ ଭାବେ ଯୋଗ ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୪୩ ବର୍ଷୀୟ ବୀର ଚକ୍ର ସମ୍ମାନିତ ଅଭିନନ୍ଦନ ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତୀୟ ବାୟୁସେନା (IAF) ରୁ ଅବସର ଗ୍ରହଣ କରିଥିଲେ। ଏହାପରେ ଗତ ମାସରେ ସେ ‘FLY91’ ନାମକ ବେସରକାରୀ ଏୟାରଲାଇନ୍ସରେ ଯୋଗ ଦେଇଛନ୍ତି। ତେବେ ଏହି ବିମାନ ସଂସ୍ଥାରେ ତାଙ୍କର ନିର୍ଦ୍ଦିଷ୍ଟ ଦାୟିତ୍ୱ ଓ ଭୂମିକା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା କାରଣରୁ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଶତ୍ରୁକୁ ଜବାବ ଦେଇ ରଚିଥିଲେ ଇତିହାସ

୨୦୧୯ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ସିଆରପିଏଫ ଯବାନଙ୍କ ଉପରେ ବଡ଼ ଧରଣର ଆତଙ୍କି ହମଲା ହୋଇଥିଲା। ଏହା ପରେ ଭାରତ ଓ ପାକିସ୍ତାନ ବାୟୁସେନା ମଧ୍ୟରେ ଆକାଶ ମାର୍ଗରେ ହୋଇଥିବା ଲଢ଼େଇରେ ଅଭିନନ୍ଦନ ନିଜର ସାଧାରଣ ‘ମିଗ୍-୨୧ ବାଇସନ୍’ (MiG-21 Bison) ବିମାନ ସାହାଯ୍ୟରେ ପାକିସ୍ତାନର ଅତ୍ୟାଧୁନିକ ‘F-16’ ଜେଟକୁ ଆକାଶରେ ହିଁ ଧ୍ୱଂସ କରିଦେଇଥିଲେ। ଯୁଦ୍ଧ ଇତିହାସରେ ମିଗ୍-୨୧ ପାଇଲଟ୍ ଭାବେ F-16କୁ ଖସାଇବାରେ ସେ ହେଉଛନ୍ତି ଏକମାତ୍ର ବୀର ଯବାନ।

ଏହି ସଂଘର୍ଷ ସମୟରେ ତାଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା, ଯାହାଫଳରେ ସେ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସୀମା ଭିତରେ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ। ସେଠାରେ ପାକିସ୍ତାନୀ ସେନା ତାଙ୍କୁ ବନ୍ଦୀ କରି ରଖିଥିଲେ ମଧ୍ୟ ସେ ଅତ୍ୟନ୍ତ ସାହସ ଓ ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କରିଥିଲେ। ପରବର୍ତ୍ତୀ ସମୟରେ ଭାରତର କୂଟନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇ ପାକିସ୍ତାନ ତାଙ୍କୁ ୩ ଦିନ ପରେ ସସମ୍ମାନ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା। 
ମିଳିଥିଲା ‘ବୀର ଚକ୍ର’ ସମ୍ମାନ
ଅତୁଳନୀୟ ସାହସିକତା ଓ କର୍ତ୍ତବ୍ୟପରାୟଣତା ପାଇଁ ୨୦୨୧ ମସିହାରେ ଅଭିନନ୍ଦନଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ଯୁଦ୍ଧକାଳୀନ ସାହସିକତା ପୁରସ୍କାର ‘ବୀର ଚକ୍ର’ରେ ସମ୍ମାନିତ କରାଯାଇଥିଲା। ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ସମୟରେ ସେ ୱିଙ୍ଗ୍ କମାଣ୍ଡର ଥିବା ବେଳେ ପରବର୍ତ୍ତୀ ସମୟରେ ବାୟୁସେନା ପକ୍ଷରୁ ତାଙ୍କୁ ‘ଗ୍ରୁପ୍ କ୍ୟାପଟେନ୍’ ପଦବୀକୁ ପଦୋନ୍ନତି ଦିଆଯାଇଥିଲା।

ସୂଚନାଯୋଗ୍ୟ, ‘FLY91’ ଏୟାରଲାଇନ୍ସ ୨୦୨୪ ମାର୍ଚ୍ଚରୁ ନିଜର ବ୍ୟବସାୟିକ ସେବା ଆରମ୍ଭ କରିଛି। ଗୋଆ ଏବଂ ହାଇଦ୍ରାବାଦରେ ମୁଖ୍ୟ ଆସନ ଥିବା ଏହି ସଂସ୍ଥା ନିକଟରେ ବର୍ତ୍ତମାନ ୬ଟି ATR 72-600 ବିମାନ ରହିଛି।

Advertisement
Advertisement

Leave a Reply

Your email address will not be published. Required fields are marked *

Chat Icon