ଇଣ୍ଡିଆ ମେଣ୍ଟର ବୁଧବାର ଅର୍ଥାତ୍ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ବୈଠକ ପାଇଁ ଏଜେଣ୍ଡା ପ୍ରସ୍ତୁତ ହୋଇଛି। କଂଗ୍ରେସ କାର୍ୟ୍ୟସମିତି ବୈଠକରେ ଯେଉଁ ପ୍ରସଙ୍ଗଗୁଡ଼ିକ ଉଠାଯାଇଛି, ସେଗୁଡ଼ିକୁ କେନ୍ଦ୍ର କରି ଇଣ୍ଡିଆ ମେଣ୍ଟର ବୈଠକରେ ଆଲୋଚନା ହେବ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ତଫା ଦାବି ନେଇ କଂଗ୍ରେସ କାର୍ୟ୍ୟସମିତିରେ ପ୍ରସ୍ତାବ ପାରିତ ହୋଇଥିଲା। ଇଣ୍ଡିଆ ମେଣ୍ଟର ବୈଠକରେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରସ୍ତାବ ପାରିତ କରାଯିବା ନେଇ ଚର୍ଚ୍ଚା ରହିଛି। ଏହା ସହ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହେବ। ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକର ମିଳିତ ରାଲି ଏବଂ ପରେ ବିଭିନ୍ନ ରାଜ୍ୟର ରାଜଧାନୀରେ ରାଲି ଆୟୋଜନ ନେଇ ବୈଠକରେ ଘୋଷଣା ହୋଇପାରେ। ଏପରିକି ପ୍ରଥମ ରାଲିର ତାରିଖ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି।
ବୈଠକରେ କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଯୋଗଦେବେ। ତୃଣମୂଳ କଂଗ୍ରେସ ପକ୍ଷରୁ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀ ଏବଂ ବାମଦଳଗୁଡ଼ିକର ନେତାମାନେ ମଧ୍ୟ ଉପସ୍ଥିତ ରହିବେ। ଏହାଛଡ଼ା ହେମନ୍ତ ସୋରେନ, ତେଜସ୍ୱୀ ଯାଦବ, ସୁପ୍ରିୟା ସୁଲେ, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ଭଳି ନେତାମାନେ ଯୋଗଦେବେ। ଉଦ୍ଧବ ଠାକରେ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ସାମିଲ ହେବେ।
କେରଳ କଂଗ୍ରେସ, ଭିସିକେ, ଏମଡିଏମକେ ସହ ରାଜସ୍ଥାନର ଆରଏଲପି ଓ ବିଏପିର ନେତାମାନେ ମଧ୍ୟ ବୈଠକରେ ଯୋଗଦେବେ। ତେବେ ତାମିଲନାଡୁରେ କଂଗ୍ରେସର ସହଯୋଗୀ ଟିଭିକେ ପକ୍ଷରୁ କେହି ବୈଠକରେ ଯୋଗଦେବେ ନାହିଁ। ସ୍ୱାଧୀନ ରାଜ୍ୟସଭା ସାଂସଦ କପିଲ ସିବଲଙ୍କୁ ମଧ୍ୟ ବୈଠକ ପାଇଁ ଆମନ୍ତ୍ରଣ କରାଯାଇଛି।
ବୈଠକରେ ଯୋଗଦେବେ କି ଅଖିଳେଶ ଯାଦବ?
ଇଣ୍ଡିଆ ମେଣ୍ଟର ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନିଜେ ଯୋଗଦେବେ ନାହିଁ। ତାଙ୍କ ବଦଳରେ ସମାଜବାଦୀ ପାର୍ଟିର ସାଂସଦ ହରେନ୍ଦ୍ର ମଲିକ ବୈଠକରେ ଯୋଗଦେବେ। ଅଖିଳେଶ ଯାଦବଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ଓ ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ ଆଲୋଚନା କରିଛନ୍ତି।
ଆମ୍ ଆଦମୀ ପାର୍ଟି ବୈଠକରେ ଯୋଗଦେଉନାହିଁ। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଆଗତ ହେବାକୁ ଥିବା ଅପସାରଣ ପ୍ରସ୍ତାବରେ ବିରୋଧୀଙ୍କୁ ସମର୍ଥନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଡିଏମକେ ମଧ୍ୟ ଏହି ପ୍ରସଙ୍ଗକୁ ସମର୍ଥନ କରୁଥିବା କହିଛି, କିନ୍ତୁ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗଦେବ ନାହିଁ।
କେଉଁ ଦଳରୁ ମିଳିନାହିଁ ସକାରାତ୍ମକ ଉତ୍ତର?
ସିପିଏମ୍ ସାଧାରଣ ସମ୍ପାଦକ ଏମ୍.ଏ. ବେବି ଇଣ୍ଡିଆ ମେଣ୍ଟର ସମ୍ପ୍ରସାରଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ରାଜ୍ୟଗୁଡ଼ିକରେ ବିଜେପି ବିରୋଧୀ ଦଳଗୁଡ଼ିକୁ ମେଣ୍ଟରେ ସାମିଲ କରିବା ପାଇଁ ସେ ବିଭିନ୍ନ ଦଳକୁ ଚିଠି ମଧ୍ୟ ଲେଖିଛନ୍ତି। ତେବେ ବିଜୁ ଜନତା ଦଳ, ବିଆରଏସ୍ ଓ ୱାଇଏସଆର କଂଗ୍ରେସ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ସକାରାତ୍ମକ ଉତ୍ତର ମିଳିନଥିବା କୁହାଯାଉଛି।
କଂଗ୍ରେସର ମତରେ, ସେପ୍ଟେମ୍ବର ୩୦ର ଇଣ୍ଡିଆ ମେଣ୍ଟ ବୈଠକ ଗୁରୁତ୍ୱପୂର୍ଣ୍ଣ ହେବ। ବୈଠକ ପରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ସଂସଦ ଓ ରାଜରାସ୍ତାରେ ଆନ୍ଦୋଳନ କରିବା ନେଇ ରଣନୀତି ପ୍ରସ୍ତୁତ କରିପାରନ୍ତି। ଦେଶବ୍ୟାପୀ ମୁଖ୍ୟ ନିର୍ବାଚନ କମିଶନର ଓ ଝଓଜ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଏବଂ ଜନସଭା କରିବା ସହ ସଂସଦରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ଅପସାରଣ ପ୍ରସ୍ତାବ ଆଣିବା ନେଇ ବିରୋଧୀ ଦଳଗୁଡ଼ିକ ଆଲୋଚନା କରିପାରନ୍ତି। ତେବେ ଏହି ପ୍ରସ୍ତାବକୁ ସରକାର ଗ୍ରହଣ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଚାପ ସୃଷ୍ଟି କରିବାକୁ ଯୋଜନା କରୁଥିବା କଂଗ୍ରେସ ଦାବି କରିଛି।
ବଦଳିଲା ରଣନୀତି, ଜ୍ଞାନେଶ କୁମାରଙ୍କୁ ଦଣ୍ଡ ବିଧାନ ସହ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ, ସଡ଼କରୁ ସଂସଦ ପ୍ରତିବାଦ


