ବାଲେଶ୍ଵରରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ STF । ଘଟଣା ସ୍ଥଳକୁ ଗୋଟିଏ ଟିମ ଯାଇ ଘଟଣାର ଯାଞ୍ଚ କରିବ ବୋଲି ସୂଚନା ମିଳିଛି । ବାଲେଶ୍ବର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି। ଏହି ଶିଶୁ ଓରାଙ୍ଗଉଟାନମାନଙ୍କୁ ସୁରକ୍ଷିତ ଭାବେ ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଛି। ଓରାଙ୍ଗଉଟାନ୍ ଭଳି ଦୁର୍ଲଭ ପ୍ରଜାତିର ଯତ୍ନ ନେବା ପାଇଁ ନନ୍ଦନକାନନରେ ଆବଶ୍ୟକୀୟ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏବଂ ପୂର୍ବ ଅଭିଜ୍ଞତା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।
ବର୍ତ୍ତମାନ ଏହି ୫ ଶିଶୁ ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ ସ୍ବତନ୍ତ୍ର କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କର ସମ୍ପୂର୍ଣ୍ଣ ମେଡିକାଲ୍ ଯାଞ୍ଚ ଚାଲିଥିବା ବେଳେ ବିଶେଷଜ୍ଞ ଡାକ୍ତରୀ ଦଳ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଗତକାଲି ସକାଳେ ବାଲେଶ୍ବର ବନ୍ୟପ୍ରାଣୀ ସ୍ବତନ୍ତ୍ର ଡିଭିଜନର ବନ ଅଧିକାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଏହି ଦୁର୍ଲଭ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିଥିଲେ।
ବାଲେଶ୍ୱରର ଝାଉଁ ଜଙ୍ଗଲରୁ ମିଳିଥିବା ୫ଟି ଓରାଙ୍ଗଉଗନ ଶାବକକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏମାନେ କେଉଁ ସନ୍ତସନ୍ତିଆ ଆର୍ଦ୍ର ପରିବେଶରୁ ଆପେ ଚାଲିଆସିଲେ ନା ସ୍ମଗଲିଂ ଧରାପଡ଼ିବା ଚକ୍କରରେ ଏହି ବିରଳ ପ୍ରଜାତିର ଜନ୍ତୁଙ୍କୁ ଏଠାରେ କେହି ଛାଡ଼ି ଚାଲିଗଲା। ଏହି ରହସ୍ୟରୁ ପରଦା ହଟିପାରିନି।
ଓରାଙ୍ଗଉଟାନ୍ର ପ୍ରାକୃତିକ ବାସସ୍ଥାନ ହେଉଛି ଦକ୍ଷିଣ-ପୂର୍ବ ଏସିଆର ବୋର୍ନିଓ ଓ ସୁମାତ୍ରା ଭଳି ସନ୍ତସନ୍ତିଆ ଓ ଆର୍ଦ୍ର ଅଞ୍ଚଳ। ସେଠାରେ ଏମାନଙ୍କ ସଂଖ୍ୟା ଦୁଇ ହଜାର ବି ଟପିବନି। ବିଶ୍ବର ବିଲୁପ୍ତପ୍ରାୟ ପ୍ରାଣୀଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଓରାଙ୍ଗଉଟାନ୍। ପ୍ରାକୃତିକ ଆବାସ ଦ୍ରୁତ ହ୍ରାସ, ଶିକାର ଓ ବନ୍ୟଜନ୍ତୁ ଚୋରାଚାଲାଣ ଭଳି କାରଣରୁ ଏମାନଙ୍କ ବଂଶ ଏବେ ସଂକଟରେ ।
କେଉଁଠୁ ଆସିଲେ ୫ ଓରାଙ୍ଗଉଟାନ? ଚୋରାଚାଲାଣର ଚେର କାଢ଼ିବ STF


