ଜାଣନ୍ତୁ କେଉଁଠି କରୁଛନ୍ତି ଭୁଲ୍, କାହିଁକି କମୁନି ପେଟ

Spread the love
Advertisement

ଆଜିକାଲି ପ୍ରତି ଦୁଇଜଣରେ ଜଣଙ୍କର ଗୋଟିଏ ବଡ଼ ସମସ୍ୟା ହେଉଛି ପେଟ ବଢ଼ିବା ଏବଂ ଚର୍ବି ଲଟକି ରହିବା । ପେଟ କମାଇବା ପାଇଁ କିଏ ଜିମ୍ ଯାଉଛନ୍ତି ତ କିଏ ମାଇଲ୍ ମାଇଲ୍ ବାଟ ଚାଲୁଛନ୍ତି।  ଆଉ କିଛି ଲୋକ ପୂର୍ବରୁ ଯେତିକି ଖାଉଥିଲେ ତାହାକୁ ଅଧା କମାଇ ଦେଉଛନ୍ତି । ଯିଏ ପୂର୍ବରୁ ୫-୬ଟା ରୁଟି ଖାଉଥିଲେ, ସେ ଏବେ ମାତ୍ର ୨ଟା ରୁଟିରେ ଅଟକି ଯାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ମାସ ମାସ ଧରି ଏମିତି କଲା ପରେ ବି ପେଟ କମୁନାହିଁ। ମନରେ ପ୍ରଶ୍ନ ଆସୁଛି “ମୁଁ ତ ମାତ୍ର ଦୁଇଟା ରୁଟି ଖାଉଛି ତଥାପି ମୋ ପେଟ କାହିଁକି ବାହାରୁଛି?” ଯଦି ଆପଣଙ୍କ ମନରେ ବି ଏହି ପ୍ରଶ୍ନ ଅଛି, ତେବେ ଆଜିର ଏହି ସ୍ପେଶାଲ୍ ରିପୋର୍ଟ କେବଳ ଆପଣଙ୍କ ପାଇଁ। ରିପୋର୍ଟ ଅନୁସାରେ, ଅଧିକାଂଶ ଲୋକ ଭାବନ୍ତି ଯେ ରୁଟି ହିଁ ମୋଟାପଣର ମୂଳ କାରଣ। କିନ୍ତୁ ବାସ୍ତବତା ହେଉଛି ଆପଣ କେତେଟା ରୁଟି ଖାଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣ ଦିନସାରାରେ କେତେ କ୍ୟାଲୋରୀ ଗ୍ରହଣ କରୁଛନ୍ତି ଏବଂ କେତେ ବାହାର କରୁଛନ୍ତି। ଯଦି ଆପଣ ମାତ୍ର ୨ଟା ରୁଟି ଖାଉଛନ୍ତି କିନ୍ତୁ ଦିନସାରା ଚୌକିରେ ବସି ରହୁଛନ୍ତି ତେବେ ସେହି କ୍ୟାଲୋରୀ ବି ଖର୍ଚ୍ଚ ହୋଇପାରେନାହିଁ । ଫଳରେ ଚର୍ବି କମିବା ବଦଳରେ ପେଟ ଆହୁରି ବଢ଼ିଯାଏ। ଦିନକୁ ଅତିକମରେ ୩୦ ରୁ ୪୫ ମିନିଟ୍ ଚାଲିବା ନିହାତି ଜରୁରୀ। ଆମେ ରୁଟି ତ କମ୍ କରିଦେଉ କିନ୍ତୁ ଅଜାଣତରେ ଦିନସାରା ଚା’ ସହ ବିସ୍କୁଟ୍, ନମକିନ୍, ମିଠା, କୋଲ୍ଡ ଡ୍ରିଙ୍କ୍ସ କିମ୍ବା ଛଣାଛଣି ଜିନିଷ ଖାଇଦେଉ। ଏହା ଦ୍ୱାରା ଶରୀରକୁ ପୂର୍ବ ଅପେକ୍ଷା ଅଧିକ କ୍ୟାଲୋରୀ ମିଳିଯାଏ। ଥାଳିରେ କେବଳ ରୁଟି ଓ ତରକାରି ରହିଲେ ଶୀଘ୍ର ଭୋକ ଲାଗେ। ଖାଦ୍ୟରେ ଡାଲି, ଦହି, ପନୀର କିମ୍ବା ଅଣ୍ଡା ଭଳି ପ୍ରୋଟିନ୍ ଜାତୀୟ ଖାଦ୍ୟ ନଥିଲେ ବାରମ୍ବାର କିଛି ଖାଇବାକୁ ଇଚ୍ଛା ହୁଏ, ଯାହା ପେଟ ବଢ଼ାଇଥାଏ। କମ୍ ଶୋଇବା ଏବଂ ଅଧିକ ଷ୍ଟ୍ରେସ୍ ନେବା ଦ୍ୱାରା ଶରୀରରେ ହରମୋନ୍ ଅସନ୍ତୁଳନ ଦେଖାଦିଏ ଯାହା ସିଧାସଳଖ ପେଟରେ ଚର୍ବି ଜମା କରିଥାଏ। ବୟସ ବଢ଼ିବା ସହିତ ଶରୀରର ମେଟାବୋଲିଜିମ୍ କମ୍ ହୋଇଯାଏ। ତେଣୁ ପୂର୍ବଭଳି ସମାନ ପରିମାଣର ଖାଦ୍ୟ ଖାଇଲେ ମଧ୍ୟ ଓଜନ ବଢ଼ିପାରେ। ତେବେ ଯଦି ଆପଣ ପେଟ କମାଇବାକୁ ଚାହୁଛନ୍ତି ତେବେ ରୁଟି ଗଣି ଗଣି ଖାଇବା ବନ୍ଦ କରନ୍ତୁ। ଏକ ସନ୍ତୁଳିତ ଆହାର ଚାଟ୍ ତିଆରି କରନ୍ତୁ, ଖାଦ୍ୟରେ ପ୍ରୋଟିନ୍ ଓ ଫାଇବର ବଢ଼ାନ୍ତୁ, ପ୍ରତିଦିନ ଚଲାବୁଲା କରନ୍ତୁ, ନିଘୋଟ ନିଦରେ ଶୁଅନ୍ତୁ ଏବଂ ବାରମ୍ବାର ସ୍ନାକ୍ସ ଖାଇବାରୁ ଦୂରେଇ ରୁହନ୍ତୁ । ମନେରଖନ୍ତୁ ପେଟ କେବଳ ଦୁଇଟା ରୁଟି ପାଇଁ ବଢ଼େନାହିଁ ବରଂ ଆପଣଙ୍କର ଦୈନନ୍ଦିନ ଛୋଟ ଛୋଟ ଭୁଲ୍ ଅଭ୍ୟାସ ଯୋଗୁଁ ବଢିଥାଏ । 

Advertisement

Advertisement

Leave a Reply

Your email address will not be published. Required fields are marked *

Chat Icon