୧୬ ଲକ୍ଷ ଟଙ୍କା ପାଇଁ ଝୁଲି ପଡିଲେ IIC ବିଉଟି ମହାନ୍ତି ! ବିଶ୍ୱାସରେ ବିଷ ଦେଇଥିବା ପୋଲିସ ବାବୁ କିଏ ?

Spread the love
Advertisement

ଚାଉଳିଆଗଞ୍ଜ ଥାନାରେ କାର୍ଯ୍ୟରତ ଆଇଆଇସି ବିଉଟି ମହାନ୍ତିଙ୍କ ସନ୍ଦିଗ୍ଧ ମୃତ୍ୟୁ ପଛରେ ଯେଉଁ ଆର୍ଥିକ କାରବାର ରହିଥିବା କଥା ଚର୍ଚ୍ଚା ହେଉଥିଲା ତାହା ଏବେ ଧୀରେ ଧୀରେ ପଦାକୁ ଆସୁଛି । କୁହାଯାଉଛି ଖଣ୍ଡେ ଜମି ପାଇଁ ବିଉଟି ପ୍ରାୟ ୧୬ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଜମି ପାଇନଥିଲେ କିମ୍ବା ଟଙ୍କା ବି ଫେରସ୍ତ ପାଇନଥିଲେ । ଫଳରେ ସେ ମାନସିକ ଚାପ ଓ ଚିନ୍ତାରେ ଥିଲେ । ଦୀର୍ଘ ଦିନର ସଞ୍ଚିତ ଟଙ୍କା ଏଭଳି ଢଙ୍ଗରେ ଫସି ରହିଥିବାରୁ ସେ ମାନସିକ ଅବସାଦରେ ଥିଲେ । ତାଙ୍କ ମୃତ୍ୟୁ ବା ଆତ୍ମହତ୍ୟା ପଛର ଏହା ଏକ କାରଣ ହୋଇଥାଇପାରେ ବୋଲି ତଦନ୍ତକାରୀ ଟିମ୍ ଅନୁମାନ କରୁଛି।  ଆର୍ଥିକ କାରବାର କଥାକୁ ତଦନ୍ତକାରୀ ଟିମ୍ ଜୋର୍ ଦେଉଥିବା ପୂର୍ବରୁ ଡିସିପି ମଧ୍ଯ କହିଛନ୍ତି । ଟିମର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ କିଛି ବର୍ଷ ପୂର୍ବରୁ ଜଗତପୁର ଅଞ୍ଚଳରେ ଏକ ଜମି କିଣିବା ପାଇଁ ବିଉଟି ୧୬ ଲକ୍ଷ ଟଙ୍କା ପୋଲିସ ବିଭାଗର ଜଣେ କର୍ମଚାରୀଙ୍କୁ ଦେଇଥିଲେ। ହେଲେ କର୍ମଚାରୀ ଟଙ୍କା ନେବା ପରେ ନିଜ ନାଁରେ ଜମି କିଣିଦେଲେ। ବିଉଟି ଏହା ଜାଣିବା ପରେ ଜମି ତାଙ୍କ ନାଁରେ କରିବା ପାଇଁ କହିଥିଲେ। ହେଲେ କର୍ମଚାରୀ କରିନଥିଲେ । ତେଣୁ ସେ ଟଙ୍କା ଫେରସ୍ତ ମାଗିଥିଲେ। ହେଲେ ଟଙ୍କା ମଧ୍ୟ ସେ ପେରସ୍ତ କରିନଥିଲେ । ଦୀର୍ଘ ଦିନ ହେବ ଟଙ୍କା ଦେବାକୁ ସେ ଖେଳୁଥିଲେ ଓ ସମୟ ଗଡାଉଥିଲେ । ଏହାକୁ ନେଇ ବିଉଟି ଚିନ୍ତାରେ ଥିଲେ । ନିଜ ବିଭାଗର ଲୋକ ହୋଇଥିବାରୁ କାହା ପାଖରେ ଅଭିଯୋଗ ମଧ୍ୟ କରିପାରି ନଥିଲେ କିନ୍ତୁ ଏହା ତାଙ୍କ ମୃତ୍ୟୁର ପ୍ରକୃତ କାରଣ କି ନାହିଁ ପୋଲିସ ତାହା ସ୍ପଷ୍ଟ କରିନି। ତେବେ ଟଙ୍କା ନେଇଥିବା ଉକ୍ତ କର୍ମଚାରୀଙ୍କୁ ପୋଲିସ ଏବେ ପଚରାଉଚରା କରୁଥିବା ସୂଚନା ମିଳିଛି।

ଅନ୍ୟପଟେ ବିଉଟିଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମଙ୍ଗଳବାର ପୋଲିସ ଟିମ୍ର ହସ୍ତଗତ ହୋଇଛି। ଏଥିରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଉଲ୍ଲେଖ ଅଛି । ଶରୀରରେ କୌଣସି ସ୍ଥାନରେ ଅନ୍ୟ କ୍ଷତଚିହ୍ନ ନଥିବା ଡିସିପି ଖିଲାରୀ ରିଷିକେଶ ଦ୍ୟାନ୍ଦେଓ ସୂଚନା ଦେଇଛନ୍ତି। ଏପରିକି ଯେଉଁ ଓଢ଼ଣିରେ ବିଉଟିଙ୍କ ବେକ ବନ୍ଧା ହୋଇଥିଲା ତାହା ତାଙ୍କ ଶରୀରର ଓଜନ ଠିକ୍ ଭାବେ ସମ୍ଭାଳି ପାରିବ ବୋଲି ଡାକ୍ତରୀ ଟିମ୍ କହିଛି।

ଏହାବାଦ୍ ଯଦି ଡାକ୍ତରଙ୍କଠାରୁ ଆଉ କିଛି ତଥ୍ୟ ଆବଶ୍ୟକ ପଡେ ତାହେଲେ ଏସସିବିର ଏଫଏମଟି ବିଭାଗ ଡାକ୍ତରୀ ଟିମ୍ ସହିତ ପୁନଃ ଯୋଗାଯୋଗ କରାଯିବ ଗେଲି ଡିସିପି କହିଛନ୍ତି। ଦିନେ କି ଦୁଇଦିନ ମଧ୍ୟରେ ବିଉଟିଙ୍କ ମୋବାଇଲ୍ର ଫରେନସିକ୍ ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରୁ କୌଣସି ପ୍ରକାର ହାତ ଲେଖା ମିଳିନଥିବାରୁ ମୋବାଇଲରେ ଥିବା ତଥ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ଡିସିପି କହିଛନ୍ତି ।

Advertisement

Advertisement

Leave a Reply

Your email address will not be published. Required fields are marked *

Chat Icon