ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ସମ୍ପତ୍ତି ଯାଞ୍ଚ ପ୍ରକ୍ରିୟାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ ରହିଛି । ଏହି ସମ୍ପତ୍ତି ବିବାଦ ଭିତରକୁ ଏବେ ଅନ୍ୟ ଜଣେ ହେଭିୱେଟ୍ ଟିଏମସି ସାଂସଦ ସୟାନୀ ଘୋଷଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି । କୋଲକାତା ମହାନଗର ନିଗମ ପକ୍ଷରୁ ଅଭିଷେକ ବାନାର୍ଜୀଙ୍କ ୧୭ଟି ସମ୍ପତ୍ତିର ହିସାବ ମାଗି ନୋଟିସ୍ ଜାରି କରାଯିବା ପରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଅଭିଷେକଙ୍କ ଏକ ସମ୍ପତ୍ତିର ମାଲିକାନାରେ ‘ସୟାନୀ ଘୋଷ’ଙ୍କ ନାଁ ଉଲ୍ଲେଖ ରହିଥିଲା । ଏହାକୁ ନେଇ ବିବାଦ ବଢ଼ିବା ପରେ ଏବେ ସାଂସଦ ସୟାନୀ ଘୋଷ ନିଜର ସଫେଇ ରଖିଛନ୍ତି ।
କୋଲକାତା ପୌର ନିଗମର ସୂତ୍ରରୁ ମିଳିଥିବା ଏକ ସରକାରୀ ତାଲିକା ଅନୁଯାୟୀ, ଅଭିଷେକ ବାନାର୍ଜୀଙ୍କର ଯେଉଁ ସମ୍ପତ୍ତିଗୁଡ଼ିକ ଯାଞ୍ଚ ପରିସରଭୁକ୍ତ ହୋଇଛି, ସେଥିମଧ୍ୟରୁ ଏକ ଫ୍ଲାଟ୍ରେ ‘ସୟାନୀ ଘୋଷ’ଙ୍କ ନାଁ ଜଏଣ୍ଟ ଏନର୍ ଭାବେ ରହିଛି । କେଏମସି ଲିଷ୍ଟ ଅନୁସାରେ, ୧୯ଡି ସେଭେନ୍ ଟ୍ୟାଙ୍କସ ରୋଡ୍ ସ୍ଥିତ ଏକ ବିଳାସପୂର୍ଣ୍ଣ ଫ୍ଲାଟର ମାଲିକାନା ଦସ୍ତାବିଜରେ ଅଭିଷେକ ବାନାର୍ଜୀ ଏବଂ ସୟାନୀ ଘୋଷଙ୍କ ନାମ ଏକାଠି ରହିଛି । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା ଯେ, ଏହି ସୟାନୀ ଘୋଷ କ’ଣ ସେହି ପ୍ରସିଦ୍ଧ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ସାଂସଦ ?
ଏହି ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ସାଂସଦ ସୟାନୀ ଘୋଷ ଏକ୍ସରେ ଟ୍ୱିଟ୍ କରି ନିଜ ପକ୍ଷ ରଖିଛନ୍ତି ଏବଂ ଏହି ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି । ସୟାନୀ ଘୋଷ କହିଛନ୍ତି, “ମୁଁ ସୋସିଆଲ ମିଡିଆରେ କିଛି ଫରୱାର୍ଡ ମେସେଜ୍ ଦେଖିଲି, ଯେଉଁଥିରେ ଅଭିଷେକ ବାନାର୍ଜୀ ଏବଂ ସୟାନୀ ଘୋଷ ନାମକ ଦୁଇଜଣ ବ୍ୟକ୍ତି ଗୋଟିଏ ସମ୍ପତ୍ତିର ମାଲିକ ଥିବା କୁହାଯାଉଛି । ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା । ସେହି ଦସ୍ତାବିଜରେ ଥିବା ସୟାନୀ ଘୋଷ କିଏ ମୁଁ ଜାଣେନାହିଁ, କିନ୍ତୁ ଏହା ସ୍ପଷ୍ଟ ଯେ ସେହି ମହିଳା ଜଣକ ମୁଁ ନୁହେଁ ।” ସୟାନୀ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଯେତିକି ବି ସମ୍ପତ୍ତି ଅଛି, ତାହାର ସମ୍ପୂର୍ଣ୍ଣ ବିବରଣୀ ସେ ନିଜର ନିର୍ବାଚନୀ ସପଥପତ୍ର ମାଧ୍ୟମରେ ସରକାରଙ୍କୁ ଦେଇସାରିଛନ୍ତି । ଯେକୌଣସି ବ୍ୟକ୍ତି ସରକାରୀ ରେକର୍ଡ ଯାଞ୍ଚ କରି ଏହା ଦେଖିପାରିବେ । ସେ ଏକ ସାଧାରଣ ପରିବାରରୁ ଆସିଛନ୍ତି, କୌଣସି ଶର୍ଟକଟ୍ ନୁହେଁ ବରଂ ଜନସାଧାରଣଙ୍କ ଆଶୀର୍ବାଦ ଯୋଗୁଁ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି । ଶେଷରେ ସେ କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କବିତାର ଧାଡ଼ି ଉଲ୍ଲେଖ କରି କହିଛନ୍ତି ଯେ, ସେ ଭୟମୁକ୍ତ ମନ ଏବଂ ଗର୍ବର ସହ ମୁଣ୍ଡ ଟେକି ବଞ୍ଚିବା ଜାଣିଛନ୍ତି ।
କୋଲକାତା ମହାନଗର ନିଗମର ଭବନ ନିର୍ମାଣ ବିଭାଗ ଅଭିଷେକ ବାନାର୍ଜୀଙ୍କ ସହ ଜଡ଼ିତ ୧୭ଟି ସମ୍ପତ୍ତିକୁ ନୋଟିସ୍ ପଠାଇଛି । ଏଥିରେ ହରିଶ ମୁଖର୍ଜୀ ରୋଡ୍ସ୍ଥିତ ‘ଶାନ୍ତିନିକେତନ ଭବନ’ ଏବଂ କାଳୀଘାଟ କ୍ରସିଂ ନିକଟରେ ଥିବା ଆଉ ଏକ କୋଠା ସାମିଲ ରହିଛି । ନୋଟିସ୍ର ମୁଖ୍ୟ କାରଣ ହେଉଛି, କେଏମସି ଆକ୍ଟର ଧାରା 400(1) ଅଧୀନରେ ଏହି ନୋଟିସ୍ ଜାରି କରାଯାଇଛି । ଅଭିଯୋଗ ହୋଇଛି ଯେ, ଏହି କୋଠାଗୁଡ଼ିକର ନିର୍ମାଣ ସରକାରୀ ନକ୍ସା ଅନୁଯାୟୀ ହୋଇନାହିଁ । ନକ୍ସା ବାହାରେ ହୋଇଥିବା ବେଆଇନ ନିର୍ମାଣକୁ ୭ ଦିନ ମଧ୍ୟରେ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଜବାବ ନମିଳେ, ତେବେ ପୌର ନିଗମ ନିଜେ ଏହି ବେଆଇନ ନିର୍ମାଣକୁ ଭାଙ୍ଗିଦେବ । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ ଅଭିଷେକଙ୍କର ପ୍ରାୟ ୨୪ଟି ସମ୍ପତ୍ତି ଏବେ ଯାଞ୍ଚ ପରିସରରେ ରହିଛି ।
ଏହି ନୋଟିସ୍ ପ୍ରସଙ୍ଗରେ ଶାସକ ଦଳ ଟିଏମସି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟିଏମସି କହିଛି ଯେ, ବିଜେପି ନିଜର ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ନୋଟିସକୁ ‘ଅନୌପଚାରିକ’ ଭାବେ ଲିକ୍ କରିଛି । ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ଦଳୀୟ ନେତାମାନଙ୍କ ବଦନାମ କରିବା ପାଇଁ ଗଣମାଧ୍ୟମରେ ଏଭଳି ମନଗଢ଼ା, ମିଥ୍ୟା ଓ ଆଧାରହୀନ ଖବର ପ୍ରସାରଣ କରାଯାଉଛି, ଯାହାର କୌଣସି ସତ୍ୟତା ନାହିଁ ।


