ସମଗ୍ର ରାଜ୍ୟରେ ଏଣିକି ୫ ଟଙ୍କାରେ ମିଳିବ ଭାତ ଓ ମାଛ ମିଲ୍। ସରକାରଙ୍କ ଦ୍ୱାରା ପରିଚାଳିତ କ୍ୟାଣ୍ଟିନରେ ଲୋକଙ୍କୁ ଏହି ସବୁ ସୁବିଧା ମିଳିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ କହିଛନ୍ତି ଯେ “ସବସିଡି ଯୁକ୍ତ ଖାଦ୍ୟ ପଶ୍ଚିମବଙ୍ଗର ୪୦୦ଟି କ୍ୟାଣ୍ଟିନରେ ଉପଲବ୍ଧ ହେବ। ଲୋକମାନେ ସେଠାରେ ମାତ୍ର ୫ ଟଙ୍କା ଦେଇ ମାଛ ଭାତ ମିଲ ଖାଇପାରିବେ।”
ଭାତ-ମାଛ ନିର୍ବାଚନ ପ୍ରଚାର ବେଳେ ବିଜେପି ଓ ଟିଏମସି ମଧ୍ୟରେ ପ୍ରମୁଖ ପ୍ରସଙ୍ଗ ରହିଥିଲା। ବିଜେପି କ୍ଷମତାକୁ ଆସିଲେ ବେଙ୍ଗଲର ପରିଚୟ ମାଛ ଖାଇବା ବନ୍ଦ କରି ଦେବ ବୋଲି ଏପ୍ରିଲ ମାସରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଦାବି କରିଥିଲେ। ହେଲେ ସେତେବେଳେ ବିଜେପି ସେମିତି କିଛି କରିବ ନାହିଁ ବୋଲି କହିଥିଲା।
ଦଳୀୟ ନେତାମାନେ ବିଭିନ୍ନ ରାଲିରେ ମାଛ ଭାତ ମଧ୍ୟ ଖାଇଥିଲେ। ଏବେ ଶୁଭେନ୍ଦୁ ଅଧିକାରୀ ଲୋକଙ୍କୁ ୫ ଟଙ୍କାରେ ଭାତ-ମାଛ ମିଲ ମିଳିବ ବୋଲି କହିଛନ୍ତି। ବେଙ୍ଗଲରେ ସବସିଡ କ୍ୟାଣ୍ଟିନ ମିଲ ବେଶ ପରିଚିତ। ୨୦୨୧ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କୁ ୫ ଟଙ୍କାରେ ମିଲ ଯୋଗାଇବା ଯୋଜନା ଲଞ୍ଚ କରିଥିଲେ। ମା’ କ୍ୟାଣ୍ଟିନରେ ଦିନ ୧୨.୩୦ରୁ ଦିନ ୩ଟା ଯାଏ ଲୋକଙ୍କୁ ଭାତ, ଡାଲି, ଭଜା ଓ ଅଣ୍ଡା ତରକାରୀ ଯୋଗାଇ ଦିଆଯାଉଛି। ୨୦୨୧ରେ ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟିର ବ୍ୟୟବରାଦ କରିଥିଲେ।
ଏବେ ସେହି କ୍ୟାଣ୍ଟିନ ଗୁଡ଼ିକରେ ଲୋକଙ୍କୁ ୫ ଟଙ୍କାରେ ଭାତ ମାଛ ବି ମିଳିବ। ସେହିପରି ଅନ୍ନପୂର୍ଣ୍ଣା ଯୋଜନା ପାଇଁ ମେ’ ୨୭ ଅର୍ଥାତ ଆସନ୍ତାକାଲି ଠାରୁ ଫର୍ମ ବଣ୍ଟନ କରାଯିବ। ଏହି ଯୋଜନାରେ ଯୋଗ୍ୟ ମହିଳାମାନେ ମାସିକ ୩ ହଜାର ଟଙ୍କା ଲେଖାଏ ସହାୟତା ପାଇବେ।
ଶୁଭେନ୍ଦୁ ଅଧିକାରୀ କହିଛନ୍ତି, “ଆସନ୍ତାକାଲି ଠାରୁ ରାଜ୍ୟ ସଚିବାଳୟରେ ଅନ୍ନପୂର୍ଣ୍ଣା ଯୋଜନାର ଫର୍ମ ଉପଲବ୍ଧ ହେବ। ସମସ୍ତ ଭାରତୀୟ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଯୋଗ୍ୟ।”
ମୁଖ୍ୟମନ୍ତ୍ରୀ ଆହୁରି ଘୋଷଣା କରିଛନ୍ତି ଯେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ମନ୍ଦିରର ୧ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବାକୁ କୌଣସି ପ୍ରକାରର ଅନୁମତି ମିଳିପାରିବ ନାହିଁ।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅଧିକାରୀ କହିଛନ୍ତି ଯେ “ପଶ୍ଚିମବଙ୍ଗରେ ଗୋଟିଏ ନୂଆ ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି। ଏଠାରେ ଆଉ ଶାସକର ନିୟମ ନୁହେଁ, ବରଂ ଆଇନର ଶାସନ ଚାଲିବ। ପୂର୍ବରୁ ଆମେ ଦୁର୍ଗାପୁରରେ ବାଙ୍କୁରା, ପୂର୍ବ ବର୍ଦ୍ଦମାନ ଓ ପଶ୍ଚିମ ବର୍ଦ୍ଦମାନ ସମ୍ପର୍କରେ ବୈଠକ କରିଥିଲୁ।
ଆଜିର ବୈଠକରେ ନଦିଆ, ଉତ୍ତର ୨୪ ପ୍ରଗଣା ଓ ହୁଗଲୀ ଉପରେ ଫୋକସ ରହିଥିଲା। ସମାନ ପ୍ରକାରର ବୈଠକ ମଲଦାରେ ମୁର୍ଶିଦାବାଦ, ଉତ୍ତର ଦିନାଜପୁର, ଦକ୍ଷିଣ ଦିନାଜପୁର ପାଇଁ ହେବ।
କୋଲାଘାଟରେ ପୂର୍ବ ମେଦିନପୁର, ପଶ୍ଚିମ ମେଦିନପୁର, ଝରଗ୍ରାମ ଓ ହାୱାଡା ପାଇଁ ମଧ୍ୟ ବୈଠକ ଅନୁଷ୍ଠିତ କରାଯିବ। ବିଧାୟକ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ବୈଠକ ହେଉଛି।”


