ଆପଣ ବଜାରରୁ ବହୁତ ଆଗ୍ରହରେ କିଣୁଥିବା ହଳଦିଆ ଟହଟହ କଦଳୀ ଏବଂ ପାଚିଲା ସୁଆଦିଆ ଆମ୍ବ କେଉଁଠି ଆପଣଙ୍କ ପରିବାର ପାଇଁ ‘କାଳ’ ସାଜୁନି ତ ? ଆପଣ ନିଜ ପିଲା, ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକର ଭାବି ଯେଉଁ ଫଳ ଖାଇବାକୁ ଦେଉଛନ୍ତି, ସେଥିରେ ଅସାଧୁ ବ୍ୟବସାୟୀମାନେ ଜହର ମିଶାଉନାହାନ୍ତି ତ ?
ଓଡ଼ିଶା ବଜାରରେ ବିକ୍ରି ହେଉଥିବା କଦଳୀ ଓ ଆମ୍ବରେ ମିଶୁଛି ମାରାତ୍ମକ କ୍ୟାମିକାଲ୍ “କ୍ୟାଲସିୟମ କାର୍ବାଇଡ୍” । କଦଳୀ ସବୁକୁ ସତେଜ ରଖିବା ପାଇଁ ବ୍ୟବହାର ହେଉଛି ଏହି ତରଳ ବିଷ । ଯାହା କଦଳୀ ଓ ଅନ୍ୟ ସବୁ ଫଳ ପଚାଇବାକୁ ବ୍ୟବହାର କରୁଛନ୍ତି ବ୍ୟବସାୟୀ । ଇଏ କେବଳ ଭୁବନେଶ୍ବର ନୁହେଁ ସାରା ରାଜ୍ୟରେ ଚାଲିଛି ଏମିତି ସାଂଘାତିକ ଖେଳ ।
ସ୍ୱାସ୍ଥ୍ୟକର ଫଳ ଭାବି ପ୍ରତିଦିନ ରୋଗୀ, ବୟସ୍କ, ଗର୍ଭବତୀ ମହିଳା, ଶିଶୁ ଏବଂ କ୍ରୀଡ଼ାବିତମାନେ ପ୍ରଚୁର ପରିମାଣରେ କଦଳୀ ଖାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି, ଏହି ବିଶ୍ୱାସ ଭିତରେ ଲୁଚି ରହିଛି ସାଂଘାତିକ ଜହର ।
ରାଜ୍ୟରେ ପ୍ରତିଦିନ ପ୍ରାୟ ୪୦ ଟନ୍ କଦଳୀ ଦରକାର, ଉତ୍ପାଦିତ ହୁଏ ମାତ୍ର ୨ ଟନ୍ । ଓଡ଼ିଶାରେ କଦଳୀ ଚାହିଦାର ମାତ୍ର ୨ ପ୍ରତିଶତ ଉତ୍ପାଦନ ହୁଏ । ୯୦ ପ୍ରତିଶତରୁ ଅଧିକ କଦଳୀ ଆନ୍ଧ୍ର ଓ ବେଙ୍ଗଲରୁ ଆମଦାନୀ ହୁଏ । ବାହାର ରାଜ୍ୟରୁ କଦଳୀ ଗାଡ଼ିରେ ଓଡ଼ିଶା ଆସିବାକୁ ପ୍ରାୟ ଦୁଇ ଦିନ ଲାଗେ ।
ତେଣୁ ବ୍ୟବସାୟୀ ସେଠାରୁ କଞ୍ଚା କଦଳୀ ଓ କଞ୍ଚା ଆମ୍ବ ଆଣି ଗୋଦାମରେ ରଖନ୍ତି । ଆଉ ତା’ପରେ ଆରମ୍ଭ ହୁଏ ଅସାଧୁ କାରବାର । ମାତ୍ର ୩ ଦିନ ଭିତରେ ଜୋର ଜବରଦସ୍ତ ଫଳକୁ ପଚାଇବା ପାଇଁ ବ୍ୟବହାର କରାଯାଏ ମାରାତ୍ମକ ‘କ୍ୟାଲସିୟମ କାର୍ବାଇଡ୍’ । କଦଳୀରେ କାର୍ବାଇଡ୍ ପାଉଡର ଦେଇ ଅଖା ବସ୍ତାରେ ଘୋଡ଼ାଇ ରଖାଯାଏ, ଯାହା ଦ୍ୱାରା ଏହା ରାତାରାତି ହଳଦିଆ ଟହଟହ ଦେଖାଯାଏ ।
ଆସନ୍ତୁ ଜାଣିବା ଏହି କାର୍ବାଇଡ୍ ଆପଣଙ୍କ ଶରୀରକୁ କେମିତି ଧୀରେ ଧୀରେ ମୃତ୍ୟୁ ମୁଖକୁ ଠେଲି ଦିଏ । ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ, “ଫଳ ପଚାଇବାକୁ ବ୍ୟବହାର କରାଯାଉଥିବା କ୍ୟାଲସିୟମ କାର୍ବାଇଡ୍ରୁ ମାରାତ୍ମକ ‘ଏସିଟିଲିନ୍ ଗ୍ୟାସ’ ନିର୍ଗତ ହୁଏ । କେବଳ ସେତିକି ନୁହେଁ, ଏଥିରୁ ଆର୍ସେନିକ ଓ ଫସଫରସ୍ ଭଳି ସାଙ୍ଘାତିକ ବିଷାକ୍ତ ଗ୍ୟାସ୍ ବାହାରେ, ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । କାର୍ବାଇଡ୍ ଦ୍ୱାରା ପଚାଯାଇଥିବା କଦଳୀ କିମ୍ବା ଆମ୍ବ ଖାଇଲେ, ତୁରନ୍ତ ପେଟ ଯନ୍ତ୍ରଣା ଏବଂ ପାଟି ଜଳିବା ଭଳି ଲକ୍ଷଣ ଦେଖାଯାଏ ।”
ସବୁଠାରୁ ଭୟଙ୍କର କଥା ହେଲା, ଯଦି ଆପଣ ଲଗାତାର ଏହି ଫଳ ଖାଉଛନ୍ତି, ତେବେ କ୍ୟାନସର୍ ହେବାର ଆଶଙ୍କା ଶତପ୍ରତିଶତ ବଢ଼ିଯାଏ । ଏହାସହ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇପାରେ । ତେବେ ଏହି ବିଷରୁ ବଞ୍ଚିବାର ଉପାୟ କ’ଣ ?
ଡାକ୍ତରଙ୍କ ପରାମର୍ଶ
୧. ବଜାରରୁ କିଣି ଆଣୁଥିବା ଫଳକୁ ପ୍ରଥମେ ପାଣିରେ ଅତିକମରେ ୫ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଧୋଇ ଦିଅନ୍ତୁ
୨. ପାଣିରେ ସାମାନ୍ୟ ଭିନେଗାର ମିଶାଇ କିଛି ସମୟ ରଖିବା ପରେ ଧୋଇଲେ ଆହୁରି ଭଲ
୩. ଆମ୍ବ ଖାଇବା ବେଳେ ଚୋପାକୁ ସିଧାସଳଖ ପାଟିରେ ନ ଲଗାଇ, ପ୍ରଥମେ ଚାମଚ ସାହାଯ୍ୟରେ ଭିତର ଅଂଶ ବାହାର କରି ଖାଆନ୍ତୁ ।
୪. କାରଣ ଏହି ଚୋପା ଦେଇ ହିଁ ଆର୍ସେନିକ ଓ ଫସଫରସ୍ ଗ୍ୟାସ୍ ମଣିଷ ଶରୀର ଭିତରକୁ ପ୍ରବେଶ କରେ ଓ ମାରାତ୍ମକ ରୋଗ ସୃଷ୍ଟି କରେ ।


