କେମିତି ବୁଡ଼ିଗଲା ଏମଭି ଓସେନ ୱିନର୍ ? କାଳରାତିର କାହାଣୀ ବଖାଣିଲେ ଉଦ୍ଧାର ଚୀନ ନାବିକ

Spread the love
Advertisement

ଅଗଷ୍ଟ ୨୧। ସେଦିନ ଥିଲା ଶୁକ୍ରବାର। ସବୁ ଠିକଠାକ୍ ଚାଲିଥିଲା। ପାରାଦୀପରୁ ଚୀନ୍ ଅଭିମୁଖେ ଯାଉଥିଲା ଜାହାଜ। ରାତି ପ୍ରାୟ ୧୦ଟା ୩୧ ମିନିଟ୍। ହଠାତ୍ ଜାହାଜ ଗୋଟିଏ ପଟକୁ ଢଳିବା  ଆରମ୍ଭ କଲା। ଜାହାଜ ବୁଡ଼ିବାକୁ ଯାଉଥିବା ଜାଣି ଡିସଟ୍ରେସ୍ ଆଲାର୍ମ ବଜାଇଥିଲେ କ୍ୟାପଟେନ। ଜାହାଜ ଉପରକୁ ଚାଲିଆସିଥିଲେ ୧୦ ନାବିକ। ଅନ୍ୟ ୧୪ ଜାହାଜ ଭିତରେ ରହିଯାଇଥିଲେ। ମାତ୍ର ୬ରୁ ୭ ମିନିଟ ମଧ୍ୟରେ ବୁଡ଼ି ଯାଇଯାଇଥିଲା ଓସନ୍ ୱିନର୍। ବାହାରେ ଥିବା ୧୦ ନାବିକ ମଧ୍ୟରୁ ୮ ଜଣ ସମୁଦ୍ରକୁ ଲମ୍ଫ ମାରିଥିଲେ। ଅନ୍ୟ ୨ ନାବିକ ଜାହାଜରେ ଥିବା ଲାଇଫ ରାଫ୍ଟରକୁ ଚଢ଼ିଯାଇଥିଲେ। ତେବେ ଭିତରେ ଥିବା କେହି ଜଣେ ବି ନାବିକ ବାହାରି ପାରିନଥିଲେ। ଜାହାଜ ସହିତ ସମସ୍ତେ ବୁଡିଯାଇଥିଲେ। ସମୁଦ୍ରକୁ ଲମ୍ଫ ମାରିଥିବା ୮ ନାବିକ ଜାହାଜ ବୁଡିବା ପରେ ସୃଷ୍ଟି ହୋଇଥିବା ଭଉଁରୀ ମଧ୍ୟରେ ପଡ଼ିଯାଇଥିଲେ। ଜାହାଜ ବୁଡ଼ିବା ପରେ ଭଉଁରୀର ତୀବ୍ର ସ୍ରୋତ ସେମାନଙ୍କୁ ଭିତରକୁ ଟାଣି ନେଇଯାଇଥିଲା। ତେବେ ଲାଇଫ୍ ରାଫ୍ଟକୁ ଉଠିଯାଇଥିବାରୁ ୨ ଚୀନ ନାବିକଙ୍କ ଜୀବନ ବଞ୍ଚି ଯାଇଥିଲ। ୨ ଚୀନ ନାବିକଙ୍କୁ ଜାହାଜ ବୁଡ଼ି ବିଷୟରେ ଗୋଟି ଗୋଟି କରି ପ୍ରଶ୍ନ ପଚାରିଥିଲା ତଦନ୍ତକାରୀ ଟିମ। ଏଥିରେ ଇମିଗ୍ରେସନ ଅଧିକାରୀ, ପୋଲିସ, ଗୁଇନ୍ଦା ବିଭାଗର ଅଧିକାରୀ ସାମିଲ ଥିଲେ। ପଚରାଉଚରାରେ ସହାୟତା କରିଥିଲେ କୋଲକାତା ସ୍ଥିତ ଚୀନ ବାଣିଜ୍ୟ ଦୂତାବାସରୁ ଆସିଥିବା ଦୁଇ ମାଣ୍ଡାରିନ ଅନୁବାଦକ। ତଦନ୍ତକାରୀ ଟିମ ଦୁଇ ନାବିକଙ୍କୁ ଏକାଧିକ ପ୍ରଶ୍ନ ପଚାରିଛନ୍ତି। ଜାହାଜରେ ବୁଡ଼ିବାବେଳେ ସେମାନେ କେଉଁଠି ଥିଲେ ? କୌଣସି ଆଲାର୍ମ ବାଜିଥିଲା କି ? ଜାହାଜଟି ବାମପଟ ନା ଡାହାଣପଟକୁ ଢଳିଥିଲା ? ଜାହାଜରେ ଢଳିବା ପରେ କେତେ ସମୟରେ ବୁଡ଼ିଗଲା ?  ଧୀରେ ଧୀରେ ଢଳିଥିଲା ନା ହଠାତ୍ ଢଳିଗଲା ? ଜାହାଜଟି ସମ୍ପୂର୍ଣ୍ଣ ବୁଡ଼ିବାକୁ ପ୍ରାୟ କେତେ ସମୟ ଲାଗିଲା ? ଜାହାଜରେ ଲୁହାପଥର ଗୁଣ୍ଡ ପରିମାଣ କେତେ ଥିଲା ? ସେହି ସମୟରେ ପାଣିପାଗର ସ୍ଥିତି କେମିତି ଥିଲା? ଅତ୍ୟଧିକ ବର୍ଷା ହେଉଥିଲା କି? ପବନ କେଉଁ ଦିଗରୁ ବହୁଥିଲା? ସମୁଦ୍ରରେ ଆସୁଥିବା ଢେଉ ଗୁଡିକର ଉଚ୍ଚତା ପ୍ରାୟ କେତେ ଥିଲା? ଦୁର୍ଘଟଣା ପୂର୍ବରୁ ଜାହାଜ ଦୋହଲିବା ଆରମ୍ଭ କରିଥିଲା କି? ଏଭଳି ଅନେକ ପ୍ରଶ୍ନର ଜବାବ ରଖିଥିଲେ ଦୁଇ ଚୀନ ନାବିକ।

ପଚରାଉଚରା ପରେ ଦୁଇ ଚୀନ ନାବିକଙ୍କୁ ନିଜ ଦେଶକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ପାରାଦୀପରୁ କୋଲକାତା ସ୍ଥିତ ଚୀନ ବାଣିଜ୍ୟ ଦୂତାବାସକୁ ନିଆଯାଇଛି। ସେଠାରେ ଆନୁସଙ୍ଗିକ ଦସ୍ତାବିଜ ପ୍ରସ୍ତୁତି ପରେ ସେମାନଙ୍କୁ ଚୀନ ପଠାଇ ଦିଆଯିବ। ସେପଟେ ଆଜି ସପ୍ତମ ଦିନ ପାଇଁ ଗଭୀର ସମୁଦ୍ରରେ ରେସକ୍ୟୁ ଅପରେସନ ଜାରି ରହିଛି।

Advertisement

Advertisement

Leave a Reply

Your email address will not be published. Required fields are marked *

Chat Icon