ପ୍ରହଲ୍ଲାଦ ଯୋଶୀ ଜଣେ ମହିଳା ବିରୋଧୀ, ମୁଁ ଯାହା କହିଛି ତା’ର ପ୍ରମାଣ ଅଛି, ପଛଘୁଞ୍ଚା ଦେବିନି: ପ୍ରିୟଙ୍କା ଗାନ୍ଧୀ

Spread the love
Advertisement

ସଂସଦର ମୌସୁମୀ ଅଧିବେଶନରେ ‘ପରୀକ୍ଷା ସଂଶୋଧନ ବିଲ’କୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି । ବିଲ୍‌ ଉପରେ ଆଲୋଚନା ବେଳେ ପ୍ରିୟଙ୍କା ଅଭିଯୋଗ କରି କହିଥିଲେ ଯେ, ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ଦୋଷୀମାନଙ୍କ ମୁକ୍ତିକୁ ପ୍ରହଲ୍ଲାଦ ଯୋଶୀ ସମର୍ଥନ କରିଥିଲେ । ଏପରି ବ୍ୟକ୍ତିଙ୍କୁ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଦେବା ଦେଶର ଯୁବପିଢ଼ି ଓ ମହିଳାଙ୍କ ପାଇଁ ଠିକ୍‌ ସନ୍ଦେଶ ନୁହେଁ ବୋଲି ସେ କହିଥିଲେ।  ପ୍ରିୟଙ୍କାଙ୍କ ଏହି ମନ୍ତବ୍ୟ ପରେ ଲୋକସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ବିଜେପି ସାଂସଦମାନେ ଏହାକୁ କଡ଼ା ବିରୋଧ କରିଥିଲେ । ଏହାର ଜବାବରେ ପ୍ରହଲ୍ଲାଦ ଯୋଶୀ ପ୍ରିୟଙ୍କାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିବା ସହ ଦାବି କରିଥିଲେ ଯେ ସେ ନିଜ ଅଭିଯୋଗର ପ୍ରମାଣ ଦିଅନ୍ତୁ, ନଚେତ୍ ସଂସଦରେ କ୍ଷମା ପ୍ରାର୍ଥନା କରନ୍ତୁ । ସଂସଦୀୟ ବ୍ୟାପାରମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ପ୍ରିୟଙ୍କାଙ୍କ ବୟାନକୁ ଜଣେ ମନ୍ତ୍ରୀଙ୍କୁ ବଦନାମ କରିବାର ପ୍ରୟାସ ବୋଲି କହିଥିଲେ । ସରକାର ପ୍ରିୟଙ୍କାଙ୍କ ବିବାଦୀୟ ମନ୍ତବ୍ୟକୁ ସଂସଦର ରେକର୍ଡରୁ ବାଦ୍‌ ଦେବାକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ, ସଂସଦ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପ୍ରିୟଙ୍କା ଗାନ୍ଧୀ ନିଜ ବୟାନରୁ ପଛକୁ ହଟିବାକୁ ମନା କରିଥିଲେ । ସେ କହିଥିଲେ, “ମୁଁ ସତ କହିଛି । ଏହାର ଭିଡିଓ ପ୍ରମାଣ ମଧ୍ୟ ରହିଛି । ସତ କହିବା ପାଇଁ ଦଣ୍ଡ ମିଳିଲେ ବି ମୁଁ ପଛକୁ ହଟିବି ନାହିଁ ।’

ପ୍ରିୟଙ୍କା ଆହୁରି ଅଭିଯୋଗ କରିଥିଲେ ଯେ, ମାଙ୍ଗାଲୋର ପବ୍‌ ଆକ୍ରମଣ ଘଟଣାରେ ଜଡ଼ିତ ଜଣେ ବ୍ୟକ୍ତିଙ୍କୁ ବିଜେପିରେ ସାମିଲ କରାଯାଇଥିଲା ଏବଂ ଏଥିରେ ପ୍ରହଲ୍ଲାଦ ଯୋଶୀଙ୍କ ଭୂମିକା ଥିବା ଦାବି କରିଥିଲେ । ବ୍ୟାପକ ବିରୋଧ ପରେ ସେହି ବ୍ୟକ୍ତିଙ୍କୁ କିଛି ଘଣ୍ଟା ମଧ୍ୟରେ ଦଳରୁ ବହିଷ୍କାର କରାଯାଇଥିଲେ ମଧ୍ୟ ଏହା ମହିଳାଙ୍କ ପ୍ରତି ଦଳର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ବୋଲି ପ୍ରିୟଙ୍କା କହିଛନ୍ତି ।

ସୂଚନା ଯୋଗ୍ୟଯେ ୨୦୦୯ ମସିହା ଜାନୁଆରୀ ୨୪ ତାରିଖରେ କର୍ଣ୍ଣାଟକର ମାଙ୍ଗାଲୋର ସହରରେ ଘଟିଥିବା ‘ମାଙ୍ଗାଲୋର ପବ୍‌ ଆକ୍ରମଣ’ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ସହରର ‘ଅମ୍ନେସିଆ–ଦ ଲାଉଞ୍ଜ’ ନାମକ ପବ୍‌ରେ କିଛି ଯୁବକ ଓ ଯୁବତୀ ଥିବାବେଳେ ଶ୍ରୀ ରାମ ସେନା ସଂଗଠନ ସହ ଜଡ଼ିତ ପ୍ରାୟ ୪୦ ଜଣ କର୍ମୀ ସେଠାରେ ପଶି ହଠାତ୍ ଆକ୍ରମଣ କରିଥିଲେ । ଏହି ଘଟଣାରେ ପୁଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଦୀର୍ଘ ୯ ବର୍ଷ ଧରି ମାମଲା ଚାଲିବା ପରେ ୨୦୧୮ରେ ଅଦାଲତ ପ୍ରମାଣର ଅଭାବ ଦର୍ଶାଇ ପ୍ରମୋଦ ମୁଥାଲିକଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ । ଏହି ରାୟକୁ ନେଇ ମଧ୍ୟ ଦେଶବ୍ୟାପୀ ଚର୍ଚ୍ଚା ଓ ବିବାଦ ସୃଷ୍ଟି ହୋଇଥିଲା ।

୨୩ ମାର୍ଚ୍ଚ ୨୦୧୪ରେ କର୍ଣ୍ଣାଟକର ହୁବ୍‌ଲିରେ ରାଜ୍ୟ ବିଜେପି ନେତୃତ୍ୱର ଉପସ୍ଥିତିରେ ପ୍ରମୋଦ ମୁଥାଲିକ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିଲେ । ସେତେବେଳେ ରାଜ୍ୟ ବିଜେପି ସଭାପତି ପ୍ରହ୍ଲାଦ ଜୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ଏହି ଘଟଣାରେ ପ୍ରିୟଙ୍କା ବର୍ତ୍ତମାନ ପ୍ରହ୍ଲାଦ ଯୋଶୀଙ୍କୁ ଟାର୍ଗେଟ କରିଛନ୍ତି ।

Advertisement

Advertisement

Leave a Reply

Your email address will not be published. Required fields are marked *

Chat Icon