କେନ୍ଦ୍ରୀୟ କୃଷି ରାଜ୍ୟମନ୍ତ୍ରୀ ଭାଗୀରଥ ଚୌଧୁରୀ ନିଜ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ଯୋଜନାରେ କାକୁଡ଼ି ଚାଷ ପାଇଁ ପାଇଥିବା ୯୯ ଲକ୍ଷ ଟଙ୍କାର ସବସିଡି ଫେରସ୍ତ କରିଦେଇଛନ୍ତି । ମଙ୍ଗଳବାର ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ରୀୟ କୃଷି ରାଜ୍ୟମନ୍ତ୍ରୀ ରାମନାଥ ଠାକୁର ଏହି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଜଣେ କେନ୍ଦ୍ରୀୟ ମନ୍ତ୍ରୀ ନିଜ ମନ୍ତ୍ରଣାଳୟର ଯୋଜନାରୁ ସବସିଡି ପାଇବା ପରେ ତାହାକୁ କାହିଁକି ଫେରାଇଲେ ? ଏହା କେବଳ ବିବାଦ ଏଡ଼ାଇବା ପାଇଁ ନିଆଯାଇଥିବା ପଦକ୍ଷେପ, ନା ଏହା ପଛରେ ରହିଛି ଆଉ କିଛି ବଡ଼ କାରଣ ? ଏହି ମାମଲାରେ ଆଉ କେଉଁ ରାଜନେତା କିମ୍ବା ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଛି ? ସରକାର କି ଏହି ଘଟଣାର ତଦନ୍ତ କରିଛନ୍ତି କିମ୍ବା କୌଣସି କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ? ଏପରି ଅନେକ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କାହିଁକି କାକୁଡ଼ି ଚାଷ ପାଇଁ ମିଳିଥିବା ସବସିଡି ଟଙ୍କା ଭାଗୀରଥ ଚୌଧୁରୀ ଫେରସ୍ତ କଲେ? ଏହି ବିବାଦର ଆରମ୍ଭ କେଉଁଠୁ ହୋଇଥିଲା ? ଏହା ପଛରେ ଥିବା ସମ୍ପୂର୍ଣ୍ଣ ଘଟଣାକ୍ରମକୁ ଟିକେ ପଛକୁ ଫେରି ଜାଣିବା ।
ବର୍ତ୍ତମାନ ଜାତୀୟ ଉଦ୍ୟାନ କୃଷି ବୋର୍ଡର କାକୁଡ଼ି ଚାଷ ସବସିଡିକୁ ନେଇ ବିବାଦ ଘନେଇଛି । ୨୮ ଜୁନ୍ ୨୦୨୬ରେ ଏକ ଗଣମାଧ୍ୟମର ତଦନ୍ତମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ପ୍ରସଙ୍ଗ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା । ରିପୋର୍ଟରେ କୁହାଯାଇଥିଲା ଯେ କେନ୍ଦ୍ରୀୟ କୃଷି ରାଜ୍ୟମନ୍ତ୍ରୀ ଭାଗୀରଥ ଚୌଧୁରୀ ନିଜ ମନ୍ତ୍ରଣାଳୟ ଅଧୀନରେ ଥିବା ଏନ୍ଏଚ୍ବି ଯୋଜନାରୁ ରାଜସ୍ଥାନରେ ଥିବା ତାଙ୍କ କାକୁଡ଼ି ଚାଷ ପ୍ରକଳ୍ପ ପାଇଁ ୯୯.୦୩ ଲକ୍ଷ ଟଙ୍କା ସବସିଡି ପାଇଥିଲେ ।
ରିପୋର୍ଟ ଅନୁସାରେ, ଭାଗୀରଥ ଚୌଧୁରୀ ୧୫ ଏପ୍ରିଲ୍ ୨୦୨୫ରେ ଆବେଦନ କରିଥିଲେ । ୨୯ ଏପ୍ରିଲ୍ ୨୦୨୫ରେ ପ୍ରକଳ୍ପକୁ ପ୍ରାରମ୍ଭିକ ଅନୁମୋଦନ ମିଳିଥିଲା । ୧୧ ମାର୍ଚ୍ଚ ୨୦୨୬ରେ ଅନ୍ତିମ ମଞ୍ଜୁରି ମିଳିବା ପରେ ୩୦ ମାର୍ଚ୍ଚ ୨୦୨୬ରେ ସବସିଡି ରାଶି ସିଧାସଳଖ ତାଙ୍କ ଋଣ ଖାତାରେ ଜମା ହୋଇଥିଲା । ସେହି ସମୟରେ ସେ କୃଷି ରାଜ୍ୟମନ୍ତ୍ରୀ ଏବଂ ଏନ୍ଏଚ୍ବିର ଉପାଧ୍ୟକ୍ଷ ଥିଲେ । ଏଣୁ ସେ ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି କରିଥିବା ପ୍ରଶ୍ନ ଉଠିଥିଲା।
ଏହି ବିବାଦ ମଧ୍ୟରେ ବରିଷ୍ଠ ଆଇଏଏସ୍ ଅଧିକାରୀ ନରେଶ ପାଲ ଗଙ୍ଗୱାରଙ୍କ ପରିବାର ସଦସ୍ୟମାନେ ମଧ୍ୟ ଗତ ୫ ବର୍ଷରେ ଏନ୍ଏଚ୍ବି ଯୋଜନାରୁ ୧.୧୬ କୋଟି ଟଙ୍କାରୁ ଅଧିକ ସବସିଡି ପାଇଥିବା ତଥ୍ୟ ସାମ୍ନାକୁ ଆସିଥିଲା । ବିବାଦ ବଢ଼ିବା ପରେ ଭାଗୀରଥ ଚୌଧୁରୀ କହିଥିଲେ ଯେ ସେ ସମସ୍ତ ନିୟମ ମାନି ସବସିଡି ନେଇଥିଲେ ଏବଂ କୌଣସି ତଥ୍ୟ ଲୁଚାଇ ନଥିଲେ । କିନ୍ତୁ ନରେଶ ପାଲ ଗଙ୍ଗୱାରଙ୍କୁ ଉଚ୍ଚ ଶିକ୍ଷା ସଚିବ ଭାବେ ବଦଳି ହେବା ସମୟରେ ପୂର୍ବରୁ ସେ ଜଡ଼ିତ ଥିବା କାକୁଡି ସବ୍ସିଡି ବିବାଦୀୟ ପ୍ରସଙ୍ଗରେ ଟାଣି ହୋଇ ଆସିଥିଲେ । ହେଲେ ତାଙ୍କ ସମ୍ପୃକ୍ତିକୁ ନେଇ ସରକାର କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି ।
ପରେ ୨୮ ଜୁଲାଇ ୨୦୨୬ରେ ଲୋକସଭାରେ କେନ୍ଦ୍ର ସରକାର ସୂଚନା ଦେଇଥିଲେ ଯେ ଭାଗୀରଥ ଚୌଧୁରୀ ୯୯ ଲକ୍ଷ ଟଙ୍କାର ସବସିଡି ସମ୍ପୂର୍ଣ୍ଣ ଫେରସ୍ତ କରିଛନ୍ତି । କୃଷି ରାଜ୍ୟମନ୍ତ୍ରୀ ରାମନାଥ ଠାକୁର କହିଥିଲେ, ଅର୍ଥ ସମ୍ବନ୍ଧିତ ବ୍ୟାଙ୍କକୁ ଫେରାଇ ଦିଆଯାଇଛି ଏବଂ ବ୍ୟାଙ୍କକୁ ଏହା ଏନ୍ଏଚ୍ବିକୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏନ୍ଏଚ୍ବି ଯୋଜନାରେ ମନ୍ତ୍ରୀ କିମ୍ବା ସାଂସଦଙ୍କ ଆବେଦନ ଉପରେ ପୃଥକ କୌଣସି ପ୍ରତିବନ୍ଧକ ନିୟମ ରହିନାହିଁ ।
ସେ କହିଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ ‘ଜାତୀୟ ଉଦ୍ୟାନ କୃଷି ବୋର୍ଡ (ନ୍ୟାସନାଲ ହର୍ଟିକଲଚର ବୋର୍ଡ- ଏନ୍ଏଚ୍ବି)’ର ବିଭିନ୍ନ ଯୋଜନା ଅଧୀନରେ ରାଜସ୍ଥାନର ଅଜମେର ସାଂସଦ ତଥା କେନ୍ଦ୍ରୀୟ କୃଷି ରାଜ୍ୟମନ୍ତ୍ରୀ ଭାଗୀରଥ ଚୌଧୁରୀ ଓ ସିରୋହିର ବିଜେପି ସାଂସଦ ଲୁମ୍ବାରାମ ଆର୍ଥିକ ସହାୟତା ପାଇଥିଲେ । ତେବେ ଭାଗୀରଥ ଚୌଧୁରୀ ନିଜେ ପାଇଥିବା ୯୯ ଲକ୍ଷ ଟଙ୍କାର ସବସିଡି ସମ୍ପୂର୍ଣ୍ଣ ରାଶି ସମ୍ବନ୍ଧିତ ବ୍ୟାଙ୍କକୁ ଫେରାଇ ଦେଇଥିବା ଜଣାଇଛନ୍ତି । ଏହାପରେ ବ୍ୟାଙ୍କକୁ ସେହି ଅର୍ଥ ଏନ୍ଏଚ୍ବିକୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାମନାଥ ଠାକୁର କହିଛନ୍ତି, ଏନ୍ଏଚ୍ବି ଯୋଜନା ମାଧ୍ୟମରେ ବ୍ୟାବସାୟିକ ଉଦ୍ୟାନ କୃଷି, ସଂରକ୍ଷିତ ଚାଷ, ଫସଲ ଅମଳ ପରବର୍ତ୍ତୀ ଭିତ୍ତିଭୂମି ଏବଂ କୋଲ୍ଡ ଷ୍ଟୋରେଜ୍ ଭଳି ସୁବିଧାର ବିକାଶ ପାଇଁ ଯୋଗ୍ୟ ଚାଷୀ ଓ ଉଦ୍ୟୋଗୀଙ୍କୁ ସବସିଡି ଦିଆଯାଏ । ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପ୍ରଶ୍ନରେ କୃଷି ରାଜ୍ୟମନ୍ତ୍ରୀ ଉତ୍ତରରେ ଏହି ସୂଚନା ଦେଇଥିଲେ ।
ନିଜ ବିଭାଗରୁ ମନ୍ତ୍ରୀ ସବସିଡ୍ ନେଇଥିଲେ ୯୯ ଲକ୍ଷ ଟଙ୍କା, ଗୁମର ଖୋଲି ଆଲୋଚନା ହେବା ପରେ ଫେରାଇଲେ ଟଙ୍କା


